ଭାରତର ସର୍ବବୃହତ ପୋର୍ଟ ଅପରେଟର କମ୍ପାନୀ ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେସାଲ ଇକୋନୋମିକ ଜୋନ(APSEZ)' ୟୁରୋପର ଇଭୋସ ଟର୍ମିନାଲ୍ସ(Evos Terminals)କୁ ଅଧିଗ୍ରହଣ କରିବାକୁ ଘୋଷଣା କରିଛି। 'ଇଭୋସ୍ ବି.ଭି.' (Evos B.V.)ରେ ୧୦୦ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯିବ ବୋଲି କମ୍ପାନୀ କହିଛି। ଇଭୋସ ଟର୍ମିନାଲ୍ସ ହେଉଛି ୟୁରୋପର ଏକ ଲିକ୍ୱିଡ୍ ଷ୍ଟୋରେଜ୍ ଆଣ୍ଡ ଟର୍ମିନାଲ କମ୍ପାନୀ।ଏହାର ମୁଖ୍ୟାଳୟ ନେଦରଲ୍ୟାଣ୍ଡସ୍ରେ ରହିଛି। ଆଦାନୀ ପୋର୍ଟ ଏହାକୁ 'ଇଗ୍ନିଓ ଇନ୍ଫ୍ରାଷ୍ଟ୍ରକଚର୍ ପାର୍ଟନର୍ସ ଠାରୁ କିଣିବ। ଏଥିପାଇଁ ୧.୧୮ ବିଲିୟନ ୟୁରୋ (୧୨,୫୧୧ କୋଟି ଟଙ୍କା) ମୂଲ୍ୟର ଏକ ସମ୍ପୂର୍ଣ୍ଣ ନଗଦ କାରବାର ହେବ। ଫାଇଲ ଏକ୍ସଚେଞ୍ଜରେ APSEZ କହିଛି ଯେ ଏହାର ଏଣ୍ଟରପ୍ରାଇଜେସ ଭାଲ୍ୟୁ ୨.୫୬ ବିଲିଅନ ୟୁରୋ (୨୭,୧୪୨) କୋଟି ଆକଳନ କରାଯାଇଛି।
ଏହି ଟ୍ରାଞ୍ଜାକ୍ସନ ପାଇଁ ଋଣ ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯିବ। ତେବେ ଏହା ନିୟାମକ ତଥା ଅନ୍ୟାନ୍ୟ ଅନୁମୋଦନ ଏବଂ 'ୱାର୍କସ୍ କାଉନସିଲ୍'ର ପରାମର୍ଶ ଉପରେ ବି ନିର୍ଭର କରିବ ବୋଲି କମ୍ପାନୀ କହିଛି। ଇଭୋସ ଟର୍ମିନାଲ୍ସର ମୋଟ ଇନ୍ଧନ ଷ୍ଟୋରେଜ କ୍ଷମତା ୬.୪ ମିଲିଅନ କ୍ୟୁବିକ ମିଟର ରହିଛି। କମ୍ପାନୀ ପାଖରେ ମୋଟ ୮ଟି ଟ୍ୟାଙ୍କ ଟର୍ମିନାଲ୍ସ ଥିବା ବେଳେ ଏଗୁଡ଼ିକ ସବୁ ୫ ୟୁରୋପ ଦେଶର ୭ଟି ପୋର୍ଟରେ ରଖାଯାଇଛି।
ନେଦରଲ୍ୟାଣ୍ଡର ଆମଷ୍ଟରଡାମ୍ ଇଷ୍ଟ୍, ଆମଷ୍ଟରଡାମ୍ ୱେଷ୍ଟ୍, ରୋଟରଡାମ୍ ଏବଂ ଟର୍ନୁଜେନରେ ଏହାର ଟର୍ମିନାଲ୍ସ ରହିଛି। ସେହିପରି, ବେଲଜିୟମ୍ (ଘେଣ୍ଟ୍), ଜର୍ମାନୀ (ହାମ୍ବର୍ଗ), ସ୍ପେନ୍ (ଆଲଗେସିରାସ୍) ଏବଂ ମାଲ୍ଟାର ପ୍ରମୁଖ ଶକ୍ତି ଓ ଶିଳ୍ପ କେନ୍ଦ୍ରଗୁଡ଼ିକରେ ଇଭୋସ ଟର୍ମିନାଲ୍ସ ରହିଛି। ଯେହେତୁ ୫ଟି ୟୁରୋପୀୟ ଦେଶରେ ଏହାର ଟର୍ମିନାଲ୍ସ ରହିଛି, ତେଣୁ ଏହାର ବ୍ୟାବସାୟିକ ମହତ୍ୱ ବହୁତ ରହିଛି। ଏହି କମ୍ପାନୀ ମୋଟର ଫ୍ୟୁଲ ସହିତ ବାୟୋ-ଡିଜେଲ, ବାୟୋ-ଇଥାନଲ, ଇ-ମେଥାନଲ ଓ ବାୟୋ ମରିନ ଫ୍ୟୁଲ୍ସ ଭଳି ଇକୋ ଫ୍ରେଣ୍ଡଲି ଫ୍ୟୁଲକୁ ବି ଷ୍ଟୋର କରି ରଖିପାରିବ।
ଏହି ଅଧିଗ୍ରହଣ ଦ୍ୱାରା APSEZ ୟୁରୋପୀୟ ବଜାରରେ ବିଜନେଶ ବିସ୍ତାର କରିପାରିବ।ଏହାର ଲିକ୍ୟୁଡ ପୋର୍ଟଫୋଲିଓକୁ ବଢ଼ାଇବା ସହ ଏହାର ବିଭିଧରକରଣ କରି ନୂଆ ଯୁଗର ଇନ୍ଧନ ଆଡ଼କୁ ଦୀର୍ଘକାଳୀନ ପରିବର୍ତ୍ତନର ସମ୍ଭାବନା ଦେବ ବୋଲି କମ୍ପାନୀ ଫାଇଲିଂରେ ଜଣାଇଛି। APSEZ ପରିଚାଳନା ନିର୍ଦ୍ଦେଶକ କରନ ଆଦାନୀଙ୍କ ସୂଚନା ଅନୁସାରେ, କମ୍ପାନୀର ଲକ୍ଷ ୧ ବିଲିୟନ ଟନ୍ କାର୍ଗୋ ପରିଚାଳନା କରିବା ଓ ଏକ ପ୍ରକୃତ ବିଶ୍ୱସ୍ତରୀୟ, ସମନ୍ୱିତ ପରିବହନ ପ୍ଲାଟଫର୍ମ ସୃଷ୍ଟି କରିବା। ଏହି ଇଭୋସ ଟର୍ମିନାଲ ଅଧିଗ୍ରହଣ ଏହାର ଏକ ଅଂଶ ବୋଲି କରନ କହିଛନ୍ତି। ଇଭୋସ ପାଖରେ ୪୫୨ଟି ଲିକ୍ୟୁଡି ଷ୍ଟୋରେଜ ଟ୍ୟାଙ୍କ, ଜାହାଜ(ଭାସେଲ) ଓ ବଡ଼ ଡଙ୍ଗା ପାଇଁ ୬୩ଟି ଘାଟ, ଏବଂ ଏକାଧିକ ସମନ୍ୱିତ ପାଇପଲାଇନ୍ ସଂଯୋଗ (ଯେଉଁଥିରେ ଶିପୋଲ୍ ବିମାନବନ୍ଦର ଏବଂ ସେଣ୍ଟ୍ରାଲ୍ ୟୁରୋପ୍ ପାଇପଲାଇନ୍ ସିଷ୍ଟମ୍ ଅନ୍ତର୍ଭୁକ୍ତ) ରହିଛି।
୨୦୨୫ ମସିହାରେ ଏଠାରେ ୩୭ ନିୟୁତ ମେଟ୍ରିକ୍ ଟନ୍ ପରିମାଣର ସାମଗ୍ରୀ ଅପରେଟ ହୋଇଥିଲା। ଉରୋପ ପୋର୍ଟ ମାର୍କେଟ୍ରେ କବ୍ଜା କରିବା ଲକ୍ଷ୍ୟ କେବଳ ଏହି ଇଭୋସ ନୁହେଁ ଡଚ୍ ଏନର୍ଜି ଷ୍ଟୋରେଜ୍ ଗ୍ରୁପ VTTIକୁ ମଧ୍ୟ କିଣିବାକୁ ଚାହୁଁଛି ଆଦାନୀ ପୋର୍ଟ୍ସ। ଏଥିପାଇଁ ମଧ୍ୟ ୩ ବିଲିଅନ ୟୁରୋ ଅଫର କରାଯାଇପାରେ ବୋଲି ନିକଟରେ ବ୍ଲୁମବର୍ଗ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟ ଅନୁସାରେ, ଆଦାନୀ ମ୍ୟାନେଜମେଣ୍ଟର କହିଛି ଯେ ଗ୍ରୁପର ନଜର ଏବେ ୨୦ଟି ସମ୍ପତ୍ତି ଉପରେ ରହିଛି।
ଏଥିରେ ପୋର୍ଟ୍ସ, ଓ ଟର୍ମିନାଲ୍ସ ବି ସାମିଲ ଅଛନ୍ତି। ବିଶ୍ୱ ସ୍ତରରେ ବ୍ୟବସାୟ ବିସ୍ତାର କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଉଛି ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସମୟରେ ଆଦାନୀ ପୋର୍ଟ୍ସ ଦେଶର ୧୫ଟି ପୋର୍ଟକୁ ପରିଚାଳନା କରୁଛି। ଏହା ବାଦ କମ୍ପାନୀ ଇସ୍ରାଏଲ୍, ତାଞ୍ଜାନିଆ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆରେ ବି ପୋର୍ଟ ପରିଚାଳନା କରୁଛି। କମ୍ପାନୀର ସୂଚନା ଅନୁସାରେ ଏହାର ଘରୋଇ କାର୍ଗୋ ହ୍ୟାଣ୍ଡେଲ କରିବାର କ୍ଷମତା ୬୫୩ ମିଲିଅନ ମ୍ୟାଟ୍ରିକ ଟନ ରହିଛି।
ଟାର୍ଗେଟ୍ରେ ସଫଳ ହେଲା ଆଦାନୀ ପୋର୍ଟ: ୟୁରୋପର ବଡ଼ ଟର୍ମିନାଲକୁ ୨୭,୧୪୨ କୋଟିର କିଣିବ କମ୍ପାନୀ

